ପ୍ରମାଣୀକରଣ ଯନ୍ତ୍ର ଓ ଦସ୍ତାବିଜ

ପ୍ରମାଣୀକରଣ ଉପକରଣ

ପ୍ରମାଣୀକରଣ ଉପକରଣ ହେଉଛନ୍ତି ପ୍ରାଥମିକ ଉପକରଣ / ଇଲେକ୍ଟ୍ରୋନିକ ଉପକରଣ ଯାହା ଆଧାର ପ୍ରମାଣୀକରଣ ପରିସଂସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ବା ଯୋଡ଼ ପ୍ରଦାନ କରିଥାଏ । ଏହି ଉପକରଣଗୁଡ଼ିକ ଆଧାର ସଂଖ୍ୟା ଧାରକଙ୍କ ବ୍ୟକ୍ତିଗତ ପରିଚୟ ତଥ୍ୟ (ପି.ଆଇ.ଡି.) ସଂଗ୍ରହ କରନ୍ତି, ସେହି ତଥ୍ୟକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତ କରନ୍ତି, ପ୍ରମାଣୀକରଣ ପାଇଁ ଅଥେଣ୍ଟିକେସନ ପ୍ୟାକେଟକୁ ପଠାନ୍ତି ଏବଂ ପ୍ରମାଣୀକରଣର ଫଳାଫଳ ଗ୍ରହଣ କରନ୍ତି । ପ୍ରମାଣୀକରଣ ଉପକରଣର ଉଦାହରଣ ହେଲା କମ୍ପ୍ୟୁଟର, ଲାପଟପ୍, ପଏଣ୍ଟ ଅଫ ସେଲ (ପି.ଓ.ଏସ୍.) କିଓସ୍କ / ହାତରେ ଧରି ପରିଚାଳନା କରାଯାଉଥିବା ଭ୍ରାମ୍ୟମାଣ ଉପକରଣ (ମାଇକ୍ରୋ ଏଟିଏମ୍) ଓ ଟ୍ୟାବଲେଟ ଇତ୍ୟାଦି । ସେହିସବୁ ଉପକରଣକୁ ପ୍ରତ୍ୟେକ ଅନୁରୋଧକାରୀ ସଂସ୍ଥା ଆବଶ୍ୟକ କରୁଥିବା ବିଭିନ୍ନ କାମ ଓ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯିବା ଆଶା କରାଯାଏ ।

ପ୍ରମୁଖ କାର୍ଯ୍ୟ

ପ୍ରମାଣୀକରଣ ଉପକରଣ ନିମ୍ନ ବର୍ଣ୍ଣିତ ପ୍ରମୁଖ କାର୍ଯ୍ୟ କରନ୍ତି:

  • ସେହି ଉପକରଣମାନଙ୍କରେ ଥିବା ଡୋମେନ୍/କ୍ଲାଇଣ୍ଟ ଆପ୍ଲିକେସନ ମାଧ୍ୟମରେ ଆଧାର ସଂଖ୍ୟା ଧାରକଙ୍କଠାରୁ ତାଙ୍କ ବ୍ୟକ୍ତିଗତ ପରିଚୟ ତଥ୍ୟ (ପି.ଆଇ.ଡି.) ସଂଗ୍ରହ କରିବା ।
  • ସଗୃହୀତ ହୋଇଥିବା ତଥ୍ୟ ସମ୍ପୂର୍ଣ୍ଣ ଅଛି ନା ନାହିଁ ଓ ଆବଶ୍ୟକତାକୁ ପୂରଣ କରୁଛି ନା ନାହିଁ ତାହାର ପ୍ରାଥମିକ ଯାଞ୍ଚ କରିବା ।
  • ପ୍ରମାଣୀକରଣ ପ୍ୟାକେଟକୁ ପଠାଇବା ଏବଂ ପ୍ରମାଣୀକରଣର ଫଳାଫଳକୁ ପ୍ରାପ୍ତ କରିବା ।

ଏହି ସବୁ କାର୍ଯ୍ୟ ଆଧାର ଅଧିନିୟମ, ୨୦୧୬ ଓ ତାହାର ନିୟନ୍ତ୍ରଣ ଅନୁସାରେ ହୁଏ ।

ପ୍ରମାଣୀକରଣ ଉପକରଣକୁ ଅନୁରୋଧକାରୀ ସଂସ୍ଥାମାନେ (ଏ.ୟୁ.ଏ./କେ.ୟୁ.ଏ.)ମାନେ ଉପଯୋଗ କରନ୍ତି । ସେମାନଙ୍କର ସଞ୍ଚାଳନର ମାଧ୍ୟମ ଭିତ୍ତିରେ ସେହି ଉପକରଣଗୁଡ଼ିକୁ ସ୍ୱୟଂ-ପରିଚାଳିତ ଓ ସଞ୍ଚାଳକ-ପରିଚାଳିତ ଉପକରଣ ଭାବରେ ବିଭକ୍ତିରଣ କରାଯାଏ ।

ସ୍ୱୟଂ-ଚାଳିତ ଉପକରଣ ହେଲା ସେହି ସବୁ ଉପକରଣ ଯହିଁରେ ଆଧାର ପ୍ରମାଣୀକରଣ ସହ ଜଡ଼ିତ କାର୍ଯ୍ୟକୁ ଆଧାର ସଂଖ୍ୟା ଧାରକ ନିଜେ, ଅନ୍ୟ କାହାରି ସହାୟତା ନ ନେଇ, କରନ୍ତି ।

ସଞ୍ଚାଳକ-ପରିଚାଳିତ ଉପକରଣ ହେଲା ସେହି ସବୁ ଉପକରଣ ଯହିଁରେ ଆଧାର ସଂଖ୍ୟା ଧାରକଙ୍କ ଆଧଅର ପ୍ରମାଣୀକରଣ ସମ୍ବନ୍ଧିତ କାର୍ଯ୍ୟକୁ ଅନୁରୋଧକାରି ସଂସ୍ଥାର ସଞ୍ଚାଳକଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଏ ।

ବ୍ୟତିକ୍ରମ ସମ୍ଭାଳିବା ବ୍ୟବସ୍ଥା

ପ୍ରମାଣୀକରଣ ଉପକରଣ ଆପ୍ଲିକେସନରେ ଏମିତି ବ୍ୟବସ୍ଥା ରହିବା ଦରକାର ଯହିଁରେ ଜଣେ ପ୍ରକୃତ ଆଧାର ଧାରକଙ୍କ ବାୟୋମେଟ୍ରିକ ବା ଶରୀର ସମ୍ପର୍କିତ ତଥ୍ୟ ଭିତ୍ତିରେ ହେଉଥିବା ପ୍ରମାଣୀକରଣ ସମୟରେ ଭୂଲରେ ତାଙ୍କର ପ୍ରମାଣୀକରଣ ପ୍ରତ୍ୟାଖ୍ୟାନ ହେବା ଭଳି ତ୍ରୁଟିର ଉପଚାର ହୋଇପାରୁଥିବ । ଏହା ସହିତ, ନେଟୱାର୍କ ଉପଲବ୍ଧ ନ ହେବା, ଉପକରଣ କାମ ନ କରିବା ଭଳି ଅନ୍ୟ ବୈଷୟିକ ସୀମିତତା ଓ ଅସୁବିଧା ସମୟରେ ସେବା ଯୋଗାଣ ଯେମିତି ଜାରି ରହିବ ତାହାର ମଧ୍ୟ ବ୍ୟବସ୍ଥା ରହିବା ଦରକାର । ବୈଷୟିକ ତ୍ରୁଟି ବା ଅସୁବିଧା କାରଣରୁ ଆଧାର ସଂଖ୍ୟା ଧାରକଙ୍କୁ ସେବା ଯୋଗାଣରେ ବ୍ୟାଘାତ ହେବା ଉଚିତ ନୁହେଁ ବା ତାଙ୍କୁ ସେହି ସେବା ମନା ହେବା ଉଚିତ ନୁହେଁ । ଏହିଭଳି ବ୍ୟତିକ୍ରମ ଆଦିକୁ ସମ୍ଭାଳିବା ପାଇଁ ଅନୁରୋଧ ପ୍ରତ୍ୟାଖ୍ୟାନ କରୁ ନ ଥିବା ବ୍ୟବସ୍ଥା ବ୍ୟାକ-ଅପ ଭାବରେ ରହିବା ଦରକାର ଯାହା ମାଧ୍ୟମରେ ଠକେଇ ଆଦି ଉଦ୍ୟମର ପ୍ରତିରୋଧ ହେବା ସହ ଲଗ୍/ଯାଞ୍ଚର ଅନୁରୋଧ ବ୍ୟତିକ୍ରମ ସମ୍ଭାଳିବା ବ୍ୟବସ୍ଥା ମାଧ୍ୟମରେ ସୁରୁଖୁରୁରେ ସମାହିତ ହୋଇପାରିବ ।

ବାଧ୍ୟତାମୂଳକ ସୁରକ୍ଷା

ବାଧ୍ୟତାମୂଳକ ସୁରକ୍ଷା ଆବଶ୍ୟକତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଧାର ଅଧିନିୟମ, ୨୦୧୬ ଓ ତାହାର ନିୟନ୍ତ୍ରଣମାନଙ୍କୁ ଦେଖିପାରିବେ ।

ଉପକରଣ ସଞ୍ଚାଳକ/ପରିଚାଳକଙ୍କ ପ୍ରଶିକ୍ଷଣ

ଆଗାମୀ ଦିନମାନଙ୍କରେ ବହୁଳ ମାତ୍ରାରେ ସଞ୍ଚାଳକ-ପରିଚାଳିତ ପ୍ରମାଣୀକରଣ ଉପକରଣ, ବିଶେଷକରି ବାୟୋମେଟ୍ରିକ ପ୍ରମାଣୀକରଣ ଅନୁରୋଧ ଆରମ୍ଭ କରୁଥିବା ଉପକରଣ, ବ୍ୟବହାର ହେବାର ଆଶା କରାଯାଉଛି । ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା ବା ଏ.ୟୁ.ଏ.ମାନେ ଏହା ନିଶ୍ଚିତ କରିବା ଉଚିତ ଯେ ସେହିଭଳି ସଞ୍ଚାଳକମାନେ ଆଧାର ପ୍ରମାଣୀକରଣ କାର୍ଯ୍ୟ କରିବା ପାଇଁ ଏବଂ ଆଧାର ସଂଖ୍ୟା ଧାରକଙ୍କ ବିଭିନ୍ନ ପ୍ରଶ୍ନ ଓ ଜିଜ୍ଞାସାକୁ ସଠିକ୍ ଭାବରେ ସମ୍ଭାଳବାରେ ସକ୍ଷମ ହେବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରାପ୍ତ ହେବେ ।

କିଛି ପ୍ରମୁଖ ଦିଗ ସଞ୍ଚାଳକଙ୍କ ପ୍ରଶିକ୍ଷଣର ଏକ ଅଂଶ ବିଶେଷ ଭାବରେ ରହିବା ଉଚିତ, ସେ ଗୁଡ଼ିକ ହେଲା:

  • ବାୟୋମେଟ୍ରିକ ଉପକରଣର ବ୍ୟବହାର ଏବଂ ସଠିକ୍ ମାନର ବାୟୋମେଟ୍ରିକ ତଥ୍ୟ ହାସଲ କରିବା ପାଇଁ କଣ କରିବା ଉଚିତ / କଣ କରିବା ଉଚିତ ନୁହେଁ ।
  • ବେଷ୍ଟ ଫିଙ୍ଗର ଡିଟେକ୍ସନ ବା ବି.ଏଫ୍.ଡି.ର ବ୍ୟବହାର, ଆଧାର ସଂଖ୍ୟା ଧାରକଙ୍କ ଅନ-ବୋର୍ଡିଙ୍ଗ ସମ୍ବନ୍ଧିତ ପ୍ରକ୍ରିୟା, ପରବର୍ତ୍ତୀ ପଦକ୍ଷେପମାନଙ୍କ ପାଇଁ ତାଙ୍କୁ ମାର୍ଗଦର୍ଶନ ।
  • ବ୍ୟତିକ୍ରମ ସମ୍ଭାଳିବା ପ୍ରକ୍ରିୟା ଓ ଆଧାନ ସଂଖ୍ୟା ଧାରକଙ୍କୁ କୌଣସି ବୈଷୟିକ ବା ଯାନ୍ତ୍ରିକ ଅସୁବିଧା କାରଣରୁ ସେବା ଉପଲବ୍ଧତା ଯେମିତି ମନା ନ ହୁଏ ତାହା ନିଶ୍ଚିତ କରିବା ।
  • ଆଧାର ସଂଖ୍ୟା ଧାରକଙ୍କ ସହିତ ଉପଯୁକ୍ତ ଭାବରେ ଯୋଗାଯୋଗ ରଖିବା ।
  • ଠକେଇ ପ୍ରତି ନଜର ରଖିବା ଓ ଠକାମୀକୁ ଜଣାଇବା ବ୍ୟବସ୍ଥା ।
  • ମୌଳିକ ବା ପ୍ରାଥମିକ ବିଘ୍ନ-ନିବାରଣ ପଦକ୍ଷେପ ଓ ଏ.ୟୁ.ଏ.ର ଉପକରଣ/ଆପ୍ଲିକେସନ ସହାୟତାକାରୀ ଦଳ ସହ ସମ୍ପର୍କ ଓ ଯୋଗାଯୋଗ ବିବରଣୀ ।

ବାଧ୍ୟତାମୂଳକ ସୁରକ୍ଷା ଆବଶ୍ୟକତା

  • ଆଧାର ପ୍ରମାଣୀକରଣ ପାଇଁ ସଂଗୃହୀତ ବ୍ୟକ୍ତିଗତ ପରିଚୟ ତଥ୍ୟ ବା ପରସନାଲ ଆଇଡେଣ୍ଟିଟି ଡାଟା (ପି.ଆଇ.ଡି.) ବ୍ଲକ ଉତ୍ତୋଳନ ସମୟରେ ହିଁ ଏନକ୍ରିପ୍ଟ କରିବା ବା ସଙ୍କେତରେ ରୂପାନ୍ତର କରିବାର ଆବଶ୍ୟକତା ରହିଛି । ତାହାକୁ ଆଦୌ ସାଙ୍କେତିକ ସ୍ୱରୂପରେ ପରିବର୍ତ୍ତନ ନ କରି ଏକ ନେଟୱାର୍କରେ ଛଡାଯିବା ଉଚିତ ନୁହେଁ ।
  • ସଙ୍କେତିକ ସ୍ୱରୂପକୁ ପରିବର୍ତ୍ତିତ ହୋଇଥିବା ପି.ଆଇ.ଡି. ବ୍ଲକକୁ ଗଚ୍ଛିତ କରି ରଖାଯିବା ଉଚିତ ନୁହେଁ । କେବଳ ବଫର୍ଡ ପ୍ରମାଣୀକରଣ ବା ଯେଉଁଠି ପ୍ରମାଣୀକରଣର ଆବେଦନ କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଉପକରଣରେ ଧାଡିହୋଇ ରହେ ସେହିଭଳି କ୍ଷେତ୍ରରେ ହିଁ ସଂଗୃହୀତ ତଥ୍ୟକୁ ଅଳ୍ପ ସମୟ ପାଇଁ ସଂଗ୍ରହ କରି ରଖାଯାଇପାରିବ ।
  • ଆଧାର ପ୍ରମାଣୀକରଣ ପାଇଁ ସଂଗୃହୀତ ହୋଇଥିବା ବାୟୋମେଟ୍ରିକ ବା ଶରୀରଗତ ତଥ୍ୟ ଏବଂ ଥରକିଆ ପାସୱାର୍ଡ ବା ଓଟିପିକୁ କୌଣସି ସ୍ଥାୟୀ ଭଣ୍ଡାର ବା ଡାଟାବେସରେ ସଂଗ୍ରହ କରି ରଖାଯିବା ଉଚିତ ନୁହେଁ ।
  • ସଞ୍ଚାଳକ ଦ୍ୱାରା ପରିଚାଳିତ ହେଉଥିବା ଉପକରଣ ବ୍ୟବହାର ହେଉଥିଲେ ସେହିଭଳି ସଞ୍ଚାଳକ ବା ପରିଚାଳକଙ୍କ ପ୍ରମାଣୀକରଣ ହେବା ଦରକାର । ପାସୱାର୍ଡ, ଆଧାର ପ୍ରମାଣୀକରଣ ଭଳି ଉପାୟ ମାଧ୍ୟମରେ ସେହିଭଳି ପ୍ରମାଣୀକରଣ ହେବା ଆବଶ୍ୟକ ଅଟେ ।